ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବନ୍ୟା ପ୍ରଭାବିତଙ୍କ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି।
ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ପରେ ଆବଶ୍ୟକ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ରାସ୍ତା, ସେତୁ ଓ କ୍ଷତିଗ୍ରସ୍ତ ଅନ୍ୟାନ୍ୟ ଭିତ୍ତିଭୂମିର ମରାମତି ପାଇଁ ଚୁଡାନ୍ତ ଆକଳନ ପରେ ସହାୟତା ଯୋଗାଇ ଦିଆଯିବ।
ଏହି ନିଷ୍ପତ୍ତି ଅନୁଯାୟୀ ଘରବାଡ଼ି କ୍ଷତିଗ୍ରସ୍ତ ପରିବାରମାନଙ୍କ ପାଇଁ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହର ମରାମତି ନିମନ୍ତେ ୧.୨୦ ଲକ୍ଷ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬,୫୦୦ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଘର ପାଇଁ ୪,୦୦୦ ଟଙ୍କା, ଭାଙ୍ଗିଯାଇଥିବା କୁଡ଼ିଆ ଘର ପାଇଁ ୮,୦୦୦ ଟଙ୍କା ଓ ଗୁହାଳ ଘର ପାଇଁ ୩,୦୦୦ ଟଙ୍କା ଦିଆଯିବ।
କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ଫସଲ ବା ଉଦ୍ୟାନ କ୍ଷୟକ୍ଷତି ନିମନ୍ତେ ଅଣଜଳସେଚିତ ଅଞ୍ଚଳ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଜମିରେ ୧୭,୦୦୦ ଟଙ୍କା ଏବଂ ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ହିସାବରେ ସହାୟତା ଯୋଗାଇ ଦିଆଯିବ।
ବନ୍ୟାଜନିତ ମୃତ୍ୟୁ ଘଟଣାରେ ୬ ଜଣ ମୃତକଙ୍କ ନିକଟମ ପରିବାରକୁ ବିପର୍ଯ୍ୟୟ ସହାୟତା ପାଣ୍ଠି (SDRF) ନିୟମାନୁଯାୟୀ ୨୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା (Ex-gratia) ପ୍ରଦାନ କରାଯିବ।
ମୃତ ଗୃହପାଳିତ ପଶୁମାନଙ୍କ ପାଇଁ ମଧ୍ୟ ସହାୟତା ପ୍ରଦାନ କରାଯିବ। ଦୁଧିଆଳୀ ପଶୁ ଯଥା ମଇଁଷି, ଗାଈ ପିଛା ୩୭,୫୦୦ ଟଙ୍କା, ଛେଳି ବା ମେଣ୍ଢା ପିଛା ୪,୦୦୦ ଟଙ୍କା, ଭାରବାହୀ ପଶୁ ଯଥା ବଳଦ, ମଇଁଷି, ଘୋଡ଼ା ପିଛା ୩୨,୦୦୦ ଟଙ୍କା, ବାଛୁରୀ, ଗଧ ଏବଂ ଖଚର ପିଛା ୨୦,୦୦୦ ଟଙ୍କା ହିସାବରେ ପ୍ରାରମ୍ଭିକ ଆକଳନ ଅନୁଯାୟୀ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ।
ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାର ପର୍ଯ୍ୟନ୍ତ ତୁରନ୍ତ ରିଲିଫ୍ ଓ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ପହଞ୍ଚାଇବା ପାଇଁ ପ୍ରଶାସନ ନିରନ୍ତର କାର୍ଯ୍ୟ କରୁଛି। ବରିଷ୍ଠ ଅଧିକାରୀମାନେ ପରିସ୍ଥିତିର ଚବିଶ ଘଣ୍ଟିଆ ସମୀକ୍ଷା କରୁଥିବା ବେଳେ ରିଲିଫ୍, ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟ ସ୍ୱାଭାବିକ ପରିସ୍ଥିତି ଫେରିବା ପର୍ଯ୍ୟନ୍ତ ଜାରି ରହିବ।